Job 13

ଆୟୁବ - ତଥାପି ଈଶ୍ୱରଙ୍କଠାରେ ମୋହର ଭରସା

1ଦେଖ, ମୋହର ଚକ୍ଷୁ ଏହିସବୁ ଦେଖିଅଛି, ମୋହର କର୍ଣ୍ଣ ଏହା ଶୁଣି ବୁଝିଅଛି। 2ଯାହା ତୁମ୍ଭେମାନେ ଜାଣ, ତାହା ମୁଁ ଜାଣେ; ମୁଁ ତୁମ୍ଭମାନଙ୍କଠାରୁ ଊଣା ନୁହେଁ।

3ନିଶ୍ଚୟ ମୁଁ ସର୍ବଶକ୍ତିମାନଙ୍କୁ କହିବାକୁ ଇଚ୍ଛା କରେ ଓ ମୁଁ ପରମେଶ୍ୱରଙ୍କ ସହିତ ଯୁକ୍ତି କରିବାକୁ ବାଞ୍ଛା କରେ। 4ମାତ୍ର ତୁମ୍ଭେମାନେ ମିଥ୍ୟାବାକ୍ୟରଚକ, ତୁମ୍ଭେ ସମସ୍ତେ ମୂଲ୍ୟହୀନ ବୈଦ୍ୟ। 5ଆଃ, ତୁମ୍ଭେମାନେ ଯେବେ ସମ୍ପୂର୍ଣ୍ଣ ନୀରବ ହୋଇ ରହନ୍ତ ! ତାହା ତୁମ୍ଭମାନଙ୍କର ଜ୍ଞାନସୂଚକ ହୁଅନ୍ତା।

6ଏବେ ମୋହର ଯୁକ୍ତି ଶୁଣ ଓ ମୋର ଓଷ୍ଠାଧରର ପ୍ରତିବାଦରେ କର୍ଣ୍ଣପାତ କର। 7ତୁମ୍ଭେମାନେ କ’ଣ ପରମେଶ୍ୱରଙ୍କ ପକ୍ଷରେ ଅନ୍ୟାୟ କଥା କହିବ ଓ ତାହାଙ୍କ ପକ୍ଷରେ ପ୍ରବଞ୍ଚନା-ବାକ୍ୟ କହିବ ? 8ତୁମ୍ଭେମାନେ କ’ଣ ତାହାଙ୍କର ମୁଖାପେକ୍ଷା କରିବ, ତୁମ୍ଭେମାନେ କ’ଣ ପରମେଶ୍ୱରଙ୍କ ପକ୍ଷରେ ବିରୋଧ କରିବ ?

9ସେ ଯେ ତୁମ୍ଭମାନଙ୍କୁ ପରୀକ୍ଷା କରିବେ, ଏହା କି ଭଲ ? କିଅବା କେହି ଯେପରି ମନୁଷ୍ୟକୁ ଭୁଲାଏ, ସେପରି ତୁମ୍ଭେମାନେ କ’ଣ ତାହାଙ୍କୁ ଭୁଲାଇବ ? 10ତୁମ୍ଭେମାନେ ଗୋପନରେ ମୁଖାପେକ୍ଷା କଲେ, ସେ ଅବଶ୍ୟ ତୁମ୍ଭମାନଙ୍କୁ ଅନୁଯୋଗ କରିବେ।

11ତାହାଙ୍କର ମହତ୍ତ୍ୱ କ’ଣ ତୁମ୍ଭମାନଙ୍କୁ ଭୀତ କରିବ ନାହିଁ ଓ ତାହାଙ୍କର ଭୟଙ୍କରତା କ’ଣ ତୁମ୍ଭମାନଙ୍କ ଉପରେ ପଡ଼ିବ ନାହିଁ ? 12ତୁମ୍ଭମାନଙ୍କ ସ୍ମରଣୀୟ ବଚନମାଳା ଭସ୍ମରୂପ ପ୍ରବାଦ ଅଟେ, ତୁମ୍ଭମାନଙ୍କର ଦୁର୍ଗସବୁ କର୍ଦ୍ଦମର ଦୁର୍ଗ ଅଟେ।

13ତୁମ୍ଭେମାନେ ନୀରବ ହୁଅ, ମୋତେ ଛାଡ଼, ମୁଁ କଥା କହିବି, ତହିଁରେ ମୋହର ଯାହା ହେବ, ହେଉ। 14ମୁଁ କାହିଁକି ଆପଣା ଦନ୍ତରେ ଆପଣା ମାଂସ ଧରିବି ଓ ଆପଣା ହସ୍ତରେ ଆପଣା ପ୍ରାଣ ରଖିବି ? 15ସେ ମୋତେ ବଧ କଲେ ହେଁ ମୁଁ ତାହାଙ୍କ ପାଇଁ ଅପେକ୍ଷା କରିବି; ତଥାପି ମୁଁ ତାହାଙ୍କ ଛାମୁରେ ଆପଣା ପଥ ସମର୍ଥନ କରିବି।

16ଏହା ହିଁ ମୋହର ମୁକ୍ତି ସ୍ୱରୂପ ହେବ; କାରଣ ଅଧାର୍ମିକ ଲୋକ ତାହାଙ୍କ ଛାମୁକୁ ଆସିବ ନାହିଁ। 17ମନୋଯୋଗ କରି ମୋହର କଥା ଶୁଣ ଓ ମୋହର ନିବେଦନ ତୁମ୍ଭମାନଙ୍କର କର୍ଣ୍ଣଗୋଚରରେ ଥାଉ।

18ଏବେ ଦେଖ, ମୁଁ ଆପଣା ବିଚାରର କଥା ପ୍ରସ୍ତୁତ କରିଅଛି; ମୁଁ ଜାଣେ, ମୁଁ ନିର୍ଦ୍ଦୋଷ ହେବି। 19ମୋ’ ସଙ୍ଗେ ଯେ ବିବାଦ କରିବ, ସେ କିଏ ? କାରଣ (କେହି ଥିଲେ) ମୁଁ ନୀରବ ହୋଇ ପ୍ରାଣତ୍ୟାଗ କରିବି।

20କେବଳ ଦୁଇ କଥା ମୋ’ ପ୍ରତି କର ନାହିଁ, ତହିଁରେ ମୁଁ ତୁମ୍ଭ ସମ୍ମୁଖରୁ ଆପଣାକୁ ଲୁଚାଇବି ନାହିଁ। 21ତୁମ୍ଭ ହସ୍ତ ମୋ’ଠାରୁ ଦୂରକୁ କାଢ଼ି ନିଅ ଓ ତୁମ୍ଭର ଭୟାନକତା ମୋତେ ଭୀତ ନ କରୁ। 22ତେବେ ତୁମ୍ଭେ ଡାକ, ମୁଁ ଉତ୍ତର ଦେବି; ଅବା ମୁଁ କହେ, ତୁମ୍ଭେ ମୋତେ ଉତ୍ତର ଦିଅ।

23ମୋହର ଅପରାଧ ଓ ପାପ କେତେ ? ମୋହର ଅଧର୍ମ ଓ ପାପ ମୋତେ ଜଣାଅ। 24ତୁମ୍ଭେ କାହିଁକି ଆପଣା ମୁଖ ଲୁଚାଉଅଛ ? ଓ ମୋତେ ତୁମ୍ଭର ଶତ୍ରୁ ବୋଲି ଜ୍ଞାନ କରୁଅଛ ? 25ତୁମ୍ଭେ କ’ଣ ଉଡ଼ନ୍ତା ପତ୍ରକୁ ଡରାଇବ ? ଓ ତୁମ୍ଭେ କ’ଣ ଶୁଖିଲା କୁଟା ପଛେ ପଛେ ଗୋଡ଼ାଇବ ?

26କାରଣ ତୁମ୍ଭେ ମୋ’ ବିରୁଦ୍ଧରେ ତିକ୍ତ କଥା ଲେଖୁ ଅଛ ଓ ମୋ’ ଯୌବନ-କାଳର ଅପରାଧ ଭୋଗ କରାଉଅଛ; 27ତୁମ୍ଭେ ଯନ୍ତାରେ ମଧ୍ୟ ମୋହର ଚରଣ ରଖୁଅଛ ଓ ମୋହର ସବୁ ଗତି ଲକ୍ଷ୍ୟ କରୁଅଛ; ତୁମ୍ଭେ ମୋ’ ଚରଣର ଚତୁର୍ଦ୍ଦିଗରେ ଆପଣା ପାଇଁ ରେଖା ଟାଣୁଅଛ; ତଥାପି ମୁଁ କ୍ଷୟ ପାଉଥିବା ଜୀର୍ଣ୍ଣ-ପଦାର୍ଥ ତୁଲ୍ୟ ଓ କୀଟ-ଭକ୍ଷିତ ବସ୍ତ୍ର ତୁଲ୍ୟ ଅଟେ।

28

Copyright information for OriULB